ନକ୍ସଲ ଆନ୍ଦୋଳନକୁ ପ୍ରୋତ୍ସାହିତ କରୁଛି ବିଜେଡି: ବ୍ରଜ ତ୍ରିପାଠୀ

ଭୁବନେଶ୍ୱର, (ଓଟି): ଗିରଫ ହୋଇଥିବା ନକ୍ସଲ ନେତା ସବ୍ୟସାଚୀ ପଣ୍ଡାଙ୍କୁ ବିଜେଡି ଆଥିର୍କ ସହଯୋଗ କରୁଥିଲା। ଅନେକ ଅପରାଧିକ ମାମଲାରେ ତାଙ୍କ ବିରୋଧରେ ଚାର୍ଜଶିଟ‍୍‌ ପ୍ରସ୍ତୁତ କରିଥିବା ବିଜେଡି ସରକାର ତାଙ୍କୁ ରାଜନୀତିକ ସହାୟତା ଦେବା ଏକ ଛଳନା ଛଡ଼ା ଆଉ କିଛି ନୁହେଁ। କିନ୍ତୁ ଏହି ଛଳନାରେ ବିଜେଡି ଅନେକ ଦିନ ହେଲା ଲିପ୍ତ ଥିଲା ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ବିଜେଡି ସାଂସଦ ତଥା ପୂର୍ବତନ ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ।
ଗଣମାଧ୍ୟମ ଆଗରେ ବିଲ୍ଫୋରକ ତଥ୍ୟ ଉପସ୍ଥାପନ କରି ଶ୍ରୀ ତ୍ରିପାଠୀ କହିଛନ୍ତି ବିଜେଡି ସବ୍ୟସାଚୀଙ୍କ ଆକାଉଣ୍ଟକୁ ଅତୀତରେ ପାଣ୍ଠି ପଠାଇଛି। ଏହାର ଏକ ନମୁନା ତାଙ୍କ ହାତରେ ପଡ଼ିଛି। ଏହି ନମୁନା ଅନୁସାରେ ବିଜେଡିର ଦଳୀୟ ଆକାଉଣ୍ଟରୁ ଶ୍ରୀ ପଣ୍ଡାଙ୍କ ଦ୍ୱାରା ପରିଚାଳିତ ଓଡ଼ିଶା ମାଓବାଦୀ ପାର୍ଟି ଆକାଉଣ୍ଟକୁ ୪୫ ଲକ୍ଷ ଟଙ୍କା ପଠାଯାଇଛି।
ବିଜେଡି ଆକାଉଣ୍ଟ ନମ୍ୱର ୧୦୦୯୧୭୫୫୨୪୬ରୁ ଓଡ଼ିଶା ମାଓବାଦୀ ପାର୍ଟିର ଛତ୍ରପୁର ଆସିଆସିଆଇ ବ୍ୟାଙ୍କ ରେ ଖୋଲାଯାଇଥିବା ଆକାଉଣ୍ଟ ନମ୍ୱର ୨୦୨୬୦୧୫୦୧୭୨୮ କୁ ଚେକ୍ ନମ୍ୱର ୪୪୧୬୩୦ ଯୋଗେ ୪୫ ଲକ୍ଷ ଟଙ୍କା ପଠାଯାଇଛି। ଏ ସମ୍ପର୍କରେ ତଦନ୍ତ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଅନୁରୋଧ ପତ୍ର ଲେଖିଥିବା ଶ୍ରୀ ତ୍ରିପାଠୀ କହିଛନ୍ତି।
ତେବେ ବିଜେଡି ପକ୍ଷରୁ ଏହାକୁ ଅବାନ୍ତର ବୋଲି କୁହାଯାଇଛି। ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି ବିଜେଡିର କୌଣସି ମାଓବାଦୀ ସଂଗଠନ ସହ ସମ୍ପର୍କ ନାହିଁ। ଯେଉଁ ଯୁକ୍ତି ଉପସ୍ଥାପନ କରାଯାଉଛି ତାହାର କୌଣସି ଆଧାର ନାହିଁ।